ସ୍ମୃତି

ଚାନ୍ଦିନୀ ରାତିରେ ଚୋରା
ପୀରତିରେ
ବାଣ୍ଟି ବାଣ୍ଟି ଗଲି ସ୍ମୃତି
କିଛି ନେଇଗଲା ନୀଳ କଇଁ ଆଉ
କିଛି ନେଲା ଜହ୍ନ ରାତି ।
ତହିଁ ପର ଦିନ ଆଉ କିଛି ଥିଲା
ଜଳିଲା ରୋଷେଇ ଘରେ
ପିଲା ଙ୍କ ପାଠ ରେ କିଛି ହଜିଗଲା
ଆଉ କିଛି ଜଞ୍ଜାଳରେ ।
ସେଦିନ ସଂଜରେ କିଛି ଜଳିଗଲା
ତୁଳସୀ ଚଉରା ମୂଳେ
ଆଉ କିଛି ସ୍ମୃତି ବାକି ଥିଲା ପରା
ଶୁଭିଲା କାନ୍ଥ ଘଣ୍ଟାରେ ।
ଅପର୍ଯ୍ୟାପ୍ତ ସିଏ ଅନନ୍ତ ଅସୀମ ବୟସ ହେଲା ମଧ୍ୟାହ୍ନ
ପର୍ଯ୍ୟାୟ କ୍ରମରେ ଆସୁଥିଲା ସିଏ ହେଲା ନାହିଁ ଅବସାନ ।
ଜୀବନ ରାସ୍ତାଠୁ ଆଉ ଲମ୍ବା ସିଏ
ବୁଝିଗଲି ସେହି ଦିନ
ଆୟୁ ସରିଯାଏ ସ୍ମୃତି ସରେ ନାହିଁ
ଅସରନ୍ତି ଦିବା ସ୍ବପ୍ନ ।
ଆଉ କିଛି ବାକି ଥାଏ ଭିଜି ଯାଏ
ପ୍ରତି ତନ୍ଦ୍ରା ପଣତରେ
ଅସ୍ପଷ୍ଟ ତଥାପି ଭାରି ପ୍ରିୟ ସିଏ
ହଜେ ଯାମିନୀ କୋଳ ରେ।
ତଥାପି ସରେନି ଦିଏ ମଧୁ ସ୍ପର୍ଶ
ଆସେ ମଝି ପାହାଚରେ
ଅସ୍ତ ହେବା ଯାଏଁ ଆସୁ ଥିବ ବୋଧେ
ସବୁ ଚାନ୍ଦିନୀ ରାତି ରେ ।