ସେ ରିକ୍ସା ଆଉ ଦିଶୁନି
ସେ ରିକ୍ସାବାଲା ବି ଦିଶୁନି
ବାପା ପୁଆକୁ ଶେଷ ରଜରେ
ବୁଲେଇ ନେଇଥିଲେ ଖେଳ ଦେଖିବାକୁ
ଗୁଳୁଗୁଳିଆ ପାଗ ବଦଳିଲା
ସୁଲୁସୁଲିଆ ପବନ ବହିଲା
ସୂର୍ଯ୍ୟ ନାଲି ଚାଦର ଢାଙ୍କି
ଫେରିଗଲେ ନିଜ ଘରକୁ
ଚନ୍ଦ୍ର ମୁରୁକି ହସିଲେ
ପୁଅ ବାପ କୋଳରେ ଶୋଇ ପଡିଥିଲା
ଆଖି ମଳିମଳି ବାପାଙ୍କୁ
ସୂର୍ଯ୍ୟ ଚନ୍ଦ୍ରଙ୍କ କଥା ପଚାରିଲା
ବାପା ହସିଦେଇ କହିଲେ
ଏଇ ଛାଇ ଆଲୁଅର ଖେଳ
ପୁଅ ପୁଣି ଉଣ୍ଡାଳିଲା
ବାପାଙ୍କର କୋଳ
ଆଜି ବାପା ନାହାନ୍ତି ।
ଛାଇ ଆଉ ଆଲୁଅ ନାହିଁ
ପୁଅ ଅଗଣାରେ ଦେଖୁଛି
ଘୋରଘନ ଅନ୍ଧକାର
ଖାଲି ପ୍ରତୀକ୍ଷା କରିଚି
ଗୋଟିଏ ସୁନା ସକାଳର ।