ଫୁଲ କହେ ଆଉ ଆସନା ଏଥର
ଫଗୁଣକୁ ହାତ ଯୋଡ଼ି
ତୋ ପାଇଁ ମୁଁ ଯାହା ବିଟପୀ ସାଜୁଛି
ଲାଜେ ଯାଏ ମୁହଁ ପୋଡ଼ି !!
ମଳୟ ଛୁଆଁରେ ପୁଲକିତ କରି
ଛୁଇଁଯାଉ ମୋର ତନୁ
ତୋ ପ୍ରୀତି ପରଶ ମୋ ମିଠା ସୁବାସ
ଛୁଇଁଯାଏ ଯେବେ ଭାନୁ
ଭଅଁର ମିଛରେ ଚାଟୁପଣ କରି
ମଧୁ ଲୁଟେ ଘଡ଼ିଘଡ଼ି !!
ତୁ କି ଜାଣିନାହୁଁ ଫଗୁଣ ଲୋ ସତେ
ତୋ ଛୁଆଁର ମିଠା ଦାଗ
ତରୁତୃଣ ଜୀବ ପୁଲକିତ ହୋଇ
ହେଉଥାନ୍ତି ମୋହ ଭଙ୍ଗ
ଏ ବେଳେ ନିଆଁରେ ଘିଅ ଦେଲା ପରି
ଥାଉ ଚାରିପାଖେ ବେଢ଼ି !!
ସଂସାର ଯାକର ଅପବାଦ ଆଉ
କେତେ ସହିବି ତୋ ଲାଗି
ଫଗୁଣ ପ୍ରେମରେ ଫୁଲ ପାଗଳିନୀ
ନିତି ଦେଖେ ନୂଆ ଛବି
ହେଲେ ପ୍ରଜାପତି, ଭଅଁର ବାପୁଡ଼ା
ଯାଆନ୍ତିନି ପାଖ ଛାଡ଼ି !!
ତୋ ପ୍ରେମରେ ବନ୍ଧା ଯୁଗଯୁଗ ମୁଁ ଯେ
କହିପାରେ ନାହିଁ କିଛି
ନିରବ ନିଷିଦ୍ଧେ ଗୁମୁରୀ କାନ୍ଦଇ
ନିଜକୁ କରଇ ଛି ଛି
ଯେତେ ଅଭିମନା କଲେ ତୋ ଉପରେ
ତୁ ନେଇ ଆଦରେ ଭିଡ଼ି !!
ପ୍ରୀତି ପାଗଳିନି ଫୁଲ ହେଲା ଯେବେ
ଫଗୁଣ ତା’ ପ୍ରୀତି ବନ୍ଧୁ
ଫୁଲ ଆକାଶରେ ଫଗୁଣ ଜୋଛନା
ଫୁଲ ପ୍ରେମ ସୁଧା ସିନ୍ଧୁ !


