ମୋ ମନ ଆକାଶେ

ଯଦି ମୋ ମନ ଆକାଶେ ହେବ
ପୁନେଇଁ ଜହ୍ନ
ତେବେ ଆଷାଢ ବରଷାପରି
କାହିଁକି ଆସ
ତୁମେ ସପନରେ ଆସକିଆଁ
ମାୟାବୀ ପରି
ପୁଣି ବିରହରେ ଜାଳିଦେଇ
ଦୂରେଇ ହସ ॥୦॥

କେବେ ଫଗୁଣରେ ହଜାଉଚ
କାକରରେ ଭିଜାଉଚ
ପୁଣି ପାଲଟୁଚ ତୁମେ
ଦୂର ଦିଗନ୍ତ
କେବେ ପକ୍ଷୀହୋଇ ଗୀତଗାଇ
ମନମୋର ନିଅ ମୋହି
କେବେ ବୈଶାଖ ଆକାଶ ପରି
ହୁଅ ଅଶାନ୍ତ
କେବେ ଫୁଲ କେବେ କଣ୍ଟା
କେବେ ଢେଉ କେବେ ଭଟ୍ଟା
କେବେ ପାଲଟି ଯାଉଚ
ବହଳ ବିଷ ॥୧॥

ଯେବେ ମୋ ମନର ମଧୁକୁଂଜେ
ତୁମ ପ୍ରୀତି ବଂଶୀ ବାଜେ
ତେବେ ପ୍ରଥମ ବରଷାପରି
ଯାଉଚ ଛୁଇଁ
ମାଟିର ମିଠା ବାସ୍ନାରେ
ବିଭୋର ମୁଁ ତମପ୍ରିୟା
ପ୍ରୀତିର ଶେଯ ସଜାଇ
ରହିଚି ଚାହିଁ
ଯଦି ଏ ଜନମେ ଆପଣାର
କରିବାକୁ ତୁମେ ଡର
ତେବେ ମୋର ଲୋଡାନାହିଁ
ଏ ଅଭିଳାଷ ॥୨॥