ଯେତିକି ଯାଉଚି ବଢି
ବାହାର ଦୁନିଆ ଘନଘନ
ମନେଯାଉଚି ପଡି ।
ଚିଡି ମାଡୁଥିଲା ରାନ୍ଧି ବାଢି
ଖାଇ ରହିଲେ ଘରେ
ବାହାରକୁ ଘେରେ ବୁଲିଗଲେ
ସିନା ମନଟା ଭରେ ।
କେତେ ଉନ୍ମଦନା ଭରୁଥିଲା
ମନେ ଯିବା ଆସିବା
ବାହାରେ ମଣିଷ ଗହଳେ
ଆପଣା ମୂଲ ମାପିବା ।
ଯେତେ ଯେତେ ଦିନ ଯାଉଅଛି
ବିତି ଗୃହ ଅଙ୍ଗନେ
ସପନ ସଦୃଶ ସାଙ୍ଗ ସାଥୀ
କଥା ବାଜୁଛି କାନେ ।
ବସି ବସି ଦେହ ହେଲାଣି
ଅବଶ କ୍ରମଶଃ ଘରେ
ଫ୍ୟାନ୍ସି ବସନ ଲୋଡା ପଡୁନାହିଁ
କେବେ ହେଁ ଥରେ ।
ଆଲମାରୀ ମଧ୍ୟେ ଦାମୀ ଶାଢୀଙ୍କର
ଉଠୁଚି କୋହ
ଭ୍ୟାନିଟ୍ ବ୍ୟାଗ୍ ଅହଂକାର ତେଜି
ଝରାନ୍ତି ଲୁହ ।
ସାଜ ସଜାର ସେ ଦରବ ସେଭଳି
ପଡୁନି ଲୋଡା
ବିଉଟି ପାର୍ଲର ନଯାଇ
ବିଉଟି ହେଲାଣି ପୋଡା ।
ସାହିତ୍ୟ ଆସର ଥିଲା ଦିନେ
ପରା ପ୍ରିୟ ଦୋସର
କେଡେ ସରାଗରେ ଚାଲିଥିଲା
ସାଥେ ଘର ସଂସାର ।
ଘରେ ପଡିଏବେ ଜଂଜାଳରେ
ବୁଡି କଟୁଚି ଦିନ
ଲେଖା ପଢା ଅବା କେଉଁଥିରେ
ଆଉ ଲାଗୁନି ମନ ।
ଫୋନ୍ ହୋଇଛି ଧ୍ୟାନ
ଖର୍ଚ୍ଚ ହେଉଅଛି ସେଇଥିରେ
ସବୁ ବୁଦ୍ଧି ଓ ଜ୍ଞାନ ।
ଦୁଃଖ ଲାଗୁଅଛି ଚପଲ ଦେଖିଲେ
ବାହାର ଘରେ
ହଳ ହଳ ହୋଇ ଦୁଃଖ ବାଣ୍ଟୁଛନ୍ତି
ନିଜ ଭିତରେ ।
ଘରେ ବାନ୍ଧି ହୋଇ ରହିବା
ତାଙ୍କର ଅଭ୍ୟାସ ନାହିଁ
ଏ ବେଳରେ ଆଉ କିଏ ବା
ତାହାଙ୍କୁ ନେଉଛି କାହିଁ ?
ଗ୍ୟାରେଜ୍ ଭିତରେ ଏକୁଟିଆ
ଠିଆ ଦୁଇ ଚକିଆ
ସଫା ସୁଫି ହୋଇ ଦିଶୁଛି
ଭାରିସେ ଚକଚକିଆ ।
ପେଟରେ ପଡୁନି ପେଟ୍ରୋଲ୍ ସିନା
ତା’ ରହିଛି ଖାଡା
ରହି ରହି ଖାଲି ଷ୍ଟାର୍ଟ ହେଉଛି
ଦି’ଦିନ ଛଡା ।
କେତେ ଦିନ ଏଇ ସମୟ
ଏମିତି ଥିବ କେଜାଣି
ବୟସ କି ଆଉ ବହିବ କାହାର
ସତେ ଉଜାଣି ?
ଜଗା କାଳିଆ ସେ ରଖୁ ନାହାନ୍ତି
ତ କାହିଁ ଭରସା
ତଥାପି ହୋଇବ କାଳେ କେଉଁଦିନ
କୃପା ବରଷା ।
”କ୍ଲିଷ୍ଟ ସମୟଟା” କଟିଯାଇ
କେବେ ମିଳିବ ମୁକ୍ତି
ବୁଲି ଚାଲି ଟିକେ ମଣିଷ
ସମାଜ ପାଇବ ଶାନ୍ତି ।


