ଚରିତ୍ର

ସବୁଠାରୁ ବଡ ଚରିତ୍ର ଆମର
ମାନବ ଜନମ ସବୁଠୁ ଶ୍ରେଷ୍ଠ ,
ଥିଲେ ଥାଉ ପଛେ ଗୁଣଟି ହଜାର
ତା’ବିନା ହୁଅଇ ଜୀବନ ନଷ୍ଟ।

ଶିକ୍ଷା ଓ ଦୀକ୍ଷାର ଉପଚାର ବଳେ
ଜୀବନ ଚାଲଇ ସ୍ରୋତକୁ କାଟି
କର୍ମ କ୍ଷେତ୍ରେ କିବା ମାନ ଅଭିମାନ
ନହେଲେ ଜାଣିଥା ଠିକି ଯିବଟି !

କରି ଆଚରଣ ଧର୍ମ- ଅନୁଷ୍ଠାନ
ବିବେକୀ ହୃଦୟ ଯେ’ ପୁଣ୍ୟବାନ
ଘାତ- ପ୍ରତିଘାତ କର୍ମରେ ପୂରିତ
ରୋଧି ଦିଏ ପଥ ପୂରା ଜୀବନ।

ଧରମ ପଥରେ ସାଧିବ କରମ
ଅସତ୍ ଚରିତ୍ର ହାଣେ ମରମ
ଆନ ଚିନ୍ତା ମନେ ସଦା ଅନୁକ୍ଷଣେ
ଗୁରୁ ଲଘୁ ଜନେ ଦେଇ ସମ୍ମାନ।

ସ୍ୱିଭିମାନ ଭରା ବିନୟୀ ସ୍ୱଭାବ
ଧୈର୍ଯ୍ୟ କ୍ଷମା ଅଟେ ଯା’ର ହୃଦୟ
ଚରିତ୍ରବାନ ସଦା ଲଭଇ ସୁଫଳ
ଅସତ ଚରିତ୍ର ଆଣେ ବିଲୟ ।

ଶୟନେ ସପନେ ଅବା ଜାଗରଣେ
ନକରିବ କାହା ଅନ୍ୟାୟ ଚିନ୍ତା
କାୟମନୋବାକ୍ୟେ ପୁଣି ସୁଦ୍ଧ-ଚିତ୍ତେ
ମନରେ ରଖିବଏ’ ଅନୁଚିନ୍ତା ।

ଚରିତ୍ର ଅଟଇ ଅମୂଲ୍ୟ ସମ୍ପଦ
ଭରିଦିଏ ମନେ ଅଶେଷ ବଳ
ଉତ୍ତମ ବିଚାରେ ଶିକ୍ଷା ଓ ସଂସ୍କାରେ
ସେ ବଳେ ଜିଣିବ ମହୀମଣ୍ଡଳ।