ଯାଃ…. ଗୋଟିଏ ଚିନ୍ତା ଗଲାଜାଣ । ଶଳା, ବସେଇ ଉଠେଇ ଦେଉ ନଥିଲେ । ଯେତେବେଳେ ଘରକୁ ଆସିବ, ଖାଲି ବାହାଘର- ବାହାଘର । ଯେତେ ରାତିରେ ଘରକୁ ଫେରିଲେ ବି, ବାପା ଚୌକିଦାର ଭଳି ଦୁଆର ଜଗି ବସିଥିବେ । ମନଖୋଲି ତ କାମ ବି କରିବାକୁ ସୁଯୋଗ ଦେଉ ନଥିଲେ । ଘରକୁ ଫେରିବାକୁ ବି ଡର ଲାଗୁଥିଲା ସତ୍ୟକୁ ।
ଦିନରାତି, ଯେବେ ବାପାଙ୍କ ହାବୁଡେ ପଡିଲ ତ ସେଇ ଗୋଟିଏ ପୁରୁଣା ପ୍ରଶ୍ନର ଶୀକାର ହୁଏ -କ’ ଣ ଚିନ୍ତାକଲୁ?? ବାପାଙ୍କର ବାଘୁଆ ନିଶ, ହ୍ରୁଷ୍ଟପ୍ରୁଷ୍ଠ ଚେହେରା ସାଙ୍ଗକୁ କ’ଣ ଚିନ୍ତାକଲୁର କର୍କଷ ସ୍ବର ବିଦ୍ରୁପ କଲାପରି ଲାଗୁଥିଲା ସତ୍ୟକୁ ।କିଛି ନ କହି ତଳକୁ ମୁହଁକରି ସବୁବେଳେ ଏଡେଇ ଯାଉଥିଲା ସବୁ ।
ବୋଉକୁ ଚାହିଁଦେଲେ କିଛିମାତ୍ରାରେ ନିଜକୁ ଦୋଷୀ ଦୋଷୀ ମନେକରୁଥିଲା ସେ । ବୋଉର ସେଇ କରୁଣ ଚାହାଣୀ ରେ ଗୋଟିଏ ଦୀର୍ଘଶ୍ବାସଭରା କଥା, ଆମର କଣ ନାତୀ, ନାତୁଣୀ ଧରିବାର ଭାଗ୍ୟରେ ନାହିଁ! ଏମିତି କେତେଦିନ ହାଣ୍ଡିଶାଳ ସମ୍ଭାଳିଥିବି ବୁଢୀ ବୟସରେ? ଭଉଣୀର ଅଭିଯୋଗ- ଯେତେବେଳେ ଶାଶୁଘରୁ ବାପାଘରକୁ ଆସିବି, ହାତରେ ରୋଷେଇକରି ଖାଇବି । ଭାଉଜ ପରଶା ମୋ କପାଳରେ ନାହିଁ!!
ସବୁଦିନେ ଏସବୁ ଶୁଣିବାକୁ ଆଉ ଭଲ ଲାଗୁନଥିଲା ସତ୍ୟକୁ । ସେ କହିଦେଲା, କନ୍ୟା ଦେଖ : ମୁଁ ବାହାହେବାକୁ ରାଜି । ସତେକି
ବିଜୁଳୀର ଚମକ ଖେଳିଗଲା ଘରେ । ଗ୍ରୀଷ୍ମରେବି ବହିଗଲା ମେଚାଂଏ ମଳୟ ପବନ ସମସ୍ତଙ୍କ ଦେହ ମନ ଛୁଇଁ । ଖୁସିହୋଇଗଲେ ସବୁ । ଲାଗିପଡିଲେ କନ୍ୟା ଦେଖାରେ । କନ୍ୟା ଠିକ୍ ହେଲା । ସତ୍ୟକୁ କହିଲେ ଦେଖିଯିବାକୁ, ସେ ଦେଖିବାକୁ ମନାକଲା । କହିଲା ତମେ ଯାହାକୁ ଦେଖି ଠିକ୍ କରିଛ
ମୁଁ ସେଇଠି ବାହାହେବି, ମୋର ଦେଖିବା ଦରକାର ନାହିଁ କିନ୍ତୁ ପରେ ଭଲମନ୍ଦ ମତେ କହିବ ନାହିଁ ।
ଠିକ୍ ଅଛି । ବାହାଘର ହେଲା । ଯଦିଓ ବେଶି ଧୁମ୍ ଧାମ୍ ରେ ନୁହେଁ ତେବେ ଭଲରେଭଲରେ ସରିଲା । କନ୍ୟା ଧନୀ ଘର ଉଚ୍ଚଶିକ୍ଷିତ ସୁନ୍ଦରୀ ଝିଅ । ହେଲେ ବାହାଘର ର କିଛି ଦିନ ପରେ- ବୋଉ କହିଲା, ବୋହୂ ଆଣିଥିଲି ବୁଢୀ ବୟସରେ ହାଣ୍ଡିଶାଳରୁ ଛୁଟୀପାଇବି, ବୋହୂର ସେବା ଶ୍ରଶୁଷା ପାଇବି ହେଲେ ସେତକ କାଇଁ?? ଭଉଣୀ କହିଲା ଭାଉଜ ପରଶା ଖାଇବି ବୋଲି କେତେ ଆଶା କରିଥିଲି, ଭାଉଜ ଆସିଲେ ଛ ତିଅଣ ନ ଭଜା କରି ଖୁଆଇବ, ହେଲେ ଭାଉଜ କହିଲା ବେଶି ଲୋକଙ୍କପାଇଁ ମୁଁ ରାନ୍ଧି ପାରିବିନି; ହୋଟେଲରୁ ମଗେଇ ଖାଅ । ବାପା କହିଲେ, ବୋହୂ ଘରେ ଚପଲ ଆଉ ଜିନସ୍ ଟପ୍ ପିନ୍ଧି ବୁଲୁଚି । ୨୪ ଘଣ୍ଟାରୁ ୨୦ ଘଣ୍ଟା ଯାଉଚି ଟି ଭି ମୋବାଇଲରେ ।ସଣ୍ଠଣା ଦେଖିବ କଣ, କଥାପଦେ ପାଟିରୁ ଖସିଲେ ଶାଶୁଘରେ ନିର୍ଯାତନା ଦେଉଛନ୍ତି ବୋଲି ଯଦି ଥାନାରେ କେସ୍ ଟିଏ ଠୁଙ୍କିଦିଏ ତ ସାତପୁରୁଷର ମାନଇଜତ ଯିବ ।
ସତ୍ୟ ମଧ୍ୟ ଏସବୁ ଦେଖେ କିନ୍ତୁ କିଛି କହି ପାରେନି କି କରି ପାରେନି । ନିଜ ସମ୍ମନଜଗି ଚୁପ୍ ରହିବାହିଁ ଏ ସମୟରେ ଶ୍ରେୟସ୍କର ।
ଏବେ ଆଉ ସତ୍ୟକୁ କେହି ଦୋଷ ଦେଉନାହାନ୍ତି । ବୋଉ ରୋଷେଇ ସମ୍ଭାଳୁଥିଲା । ବାପା ନିରସ୍ତ୍ର ସୈନିକପରି କେବଳ ଦୁଆର ଜଗି ବସିଥିଲେ । ଭଉଣୀ ଯେବେ ଆସୁଥିଲା, ବାପା ବୋଉଙ୍କୁ ଦେଖି ତା ଘରକୁ ଫେରି ଯାଉଥିଲା । ସତ୍ୟକୁ ମଧ୍ୟ ଘରକୁ ଫେରିବାକୁ ଆଉ ଡର ଲାଗୁନଥିଲା ।


