ଅହଂକାରର ସାମ୍ରାଜ୍ୟ

ସବୁ ନିରବତା ମଧ୍ୟରେ
ନିର୍ବେଦ ହୋଇଯାଉଚି
ସ୍ବପ୍ନର ପରିସର;
ସଙ୍କୁଚିତ ହୋଇଯାଉଚି
ଇଛାର ପରିଧି,
ମଉଳି ଯାଉଚି ଧିରେ ଧିରେ
ସୂର୍ଯ୍ୟୋଦୟ ଦେଖିବାର
ଆଉ ଏକ..
ସୁବର୍ଣ୍ଣ ସକାଳର ପ୍ରତୀକ୍ଷା !

ରାତ୍ରୀର ଶେଫାଳି
ପାହାନ୍ତାରେ ଝରିଗଲାପରି
ଝରି ଯାଉଛନ୍ତି ଇଛାମାନେ
ଗୋଟିଗୋଟି ହୋଇ
ସମାଜ ,ସଂସାର ଓ
ସମୟର ଶଗଡ ଗୁଳାରେ
କ୍ଷତ ବିକ୍ଷତ ହୋଇ ।

ହସିବାକୁ ବା କାନ୍ଦିବାକୁ
ଦୁଃଖ କରିବାକୁ ବା ସୁଖି ହେବାର
ବାଚାଳତାକୁ…
ଉଖାରୁନାହିଁ ଆଉ ମନର ମୟୁଖ ।

ନିସ୍ତେଜ ମନରେ ଏବେ
ଜଳୁନାହିଁ ଆଶାର ଦୀପାଳି
ଚକମକ ଆଲୁଅର
କାରସାଦି କରି ବାସୁନି ଆଉ
ସକାଳର ଫୁଲେଇ ପବନ..
ଫୁଲର ମହମହ ମହକ
ଚୋରୀକରି ଆଣି ।

ଏବେ ସମୟ
ବାର୍ଦ୍ଧକ୍ୟରେ ଉପନୀତ,
ଶୋଇଚି ଆଗାମୀ ସ୍ବପ୍ନ
ଶୋଇଯିବ ମଧ୍ୟ ଦିନେ
ନିଜର ସବୁ ସମ୍ଭାବନା,ସ୍ବାଭିମାନ
ଏବଂ ତିଆରି କରିଥିବା ସବୁ
ଅହଂକାର ର ସାମ୍ରାଜ୍ୟ ।