ମୁଁ ବିରକ୍ତ ହୋଇଗଲି । ରାତି କେତେ ହେଲାଣି । ପୁଅ ମନୁ ଶୋଉ ନାହିଁ । ନାଁ ଭଳି କାମ ବି ତା’ର ମନୁଆ । ଯାହା ବୁଝିଥିବ ସେଇଆ ।
ଛୋଟ ପିଲାଙ୍କୁ ଶୁଆଇ ପକାଇବା ସତେ କେଡ଼େ କଷ୍ଟ! ପତ୍ନୀ ତିଳୋତ୍ତମା ମଧ୍ୟ ନିଜର ରୁଦ୍ରାଣୀମୂର୍ତ୍ତି ସନ୍ଦର୍ଶନ କରାଇ ସାରିଲେଣି । ଦୁଇ ଚାରିଟା ଅଷାଢ଼ୁଆ ତାଳ ମଧ୍ୟ ପୁଅ ପିଠିରେ ବସାଇ ସାରିଲେଣି । ପିଲାଟା ଏତେ ଅଝଟିଆ ଯେ କିଛି କଥା ବୁଝିବାକୁ ନାରାଜ । ସବୁଥିରେ ତା’ର ଜିଦ୍ । ସେହି ଜିଦ୍ଖୋର ପ୍ରବୃତ୍ତି ପାଇଁ ଆମ ଘରେ ଅଧିକାଂଶ ସମୟରେ କଳିଗୋଳ ଓ ଅବୁଝାମଣା । ତା’ର ୟେ ଏକଚାଟିଆ ଗୁଣାବଳୀ ଘରେ ପ୍ରତ୍ୟହ ପ୍ରାୟ ଅଶାନ୍ତିର ବାତାବରଣ ସୃଷ୍ଟି କରିଥାଏ ।
ସେତେବେଳକୁ ମୋର କ୍ରୋଧ ପଞ୍ଚମରେ ପହଞ୍ଚି ଯାଇଥାଏ । ମୁଁ ଉଗ୍ରରୂପ ଧାରଣ କରି ସଂହାରକର୍ତ୍ତା ଶିବଙ୍କ ପରି ବେଲଣା କାଠିଟା ଧରି ଧାଇଁଗଲି ମନୁ ପାଖକୁ । ଆକସ୍ମିକ ବଡ଼ଭାଇ ସେପଟୁ ଆସି ମୋତେ ପ୍ରତିରୋଧ କଲେ । ପିଲାଙ୍କ ପ୍ରତି ଅମାନୁଷିକ ବ୍ୟବହାର ପ୍ରଦର୍ଶନ ନକରିବା ସକାଶେ କ୍ଷୀଣ ପ୍ରତିବାଦଟିଏ ଜଣାଇ ଡାକିଲେ, “କିରେ ମନୁ କ’ଣ ଶୋଇ ନାହୁଁ? ନିଦ ହେଉନି? ଆ ମୋ ପାଖକୁ ଆ । ତୋତେ ଆଜି ନୂଆ ଗପଟିଏ କହିବି ।”
ବଡ଼ଭାଇ ମୋ ଠାରୁ ଅନେକ ବଡ଼ । ତାଙ୍କ ତଳେ ଚାରି ଭଉଣୀ । ତା’ ପରେ ମୁଁ । ତାଙ୍କରି ଯତ୍ନରେ ମୋ ବାଲ୍ୟକାଳ ପରିପୁଷ୍ଟ । ମନୁ ବଡ଼ବାପାଙ୍କର ସାନ୍ତ୍ୱନା ବାଣୀରେ ପ୍ରଲୁବ୍ଧ ହୋଇ ତାଙ୍କ କାଖକୁ ଡେଇଁ ପଡିଲା ଉତ୍ଫୁଲ୍ଲିତରେ । ମନୁକୁ ନେଇ ଭାଇ ପାଖ ଘରକୁ ଗଲେ । ସେଠାରେ ବସାଇ ଗପ ଆରମ୍ଭ କରିଦେଲେ । ମୁଁ ଏପଟେ ଟହଲ ମାରୁଥାଏ । ରାଗ କମିନଥାଏ । ତିଳୋତ୍ତମା ଅଦୂରରେ ଶଙ୍କୁଡ଼ି ବାସନ ମାଜି ବସିଲେ । ଗପ ଆରମ୍ଭ ହେଲା:
“ଥରେ ଗୋଟିଏ ଲୋକ ହାଟକୁ ବାହାରିଲା । ସେ ସାଇକେଲ ଚଳେଇ ଶିଖିନଥିଲା । ଏଣୁ ବେଗ୍ପତ୍ର ଓ ଟଙ୍କା ନେଇ ଚାଲି ଚାଲି ଗଲା ।”
ବଡ଼ଭାଇ ନୀରବ ରହିଲେ । ସମୟ ଅତିକ୍ରାନ୍ତ ହେବାକୁ ଲାଗିଲା । ମନୁ ଚକ୍ଷୁ ବିସ୍ଫାରି ଗଳ୍ପ ଶୁଣିବା ଆଗ୍ରହରେ ବସିଥାଏ । ମୁଁ ମଧ୍ୟ ଉତ୍ସୁକ ହୋଇ କାନ ପାରିଥାଏ । ଭାଇ ଆଉ କିଛି କହୁନଥାନ୍ତି । କ୍ଷଣକ ପରେ କ୍ଷଣ ଅତିବାହିତ ହେଉଥାଏ । କିନ୍ତୁ ସେ ନୀରବ ଥାଆନ୍ତି । ତାଙ୍କର ନୀରବତା ଲକ୍ଷ୍ୟକରି ମନୁ ପଚାରିଲା, “ବଡ଼’ପା ଗପ କୁହ । ତା’ପରେ କ’ଣ ହେଲା?”
“ରହ ଲୋକଟି ପରା ହାଟରେ ପହଞ୍ଚି ନାହିଁ । ହାଟରେ ପହଞ୍ଚିଲେ ସିନା ପୁଣି କହିବି ।” ଭାଇ ନମ୍ର ସ୍ୱରରେ ମନୁକୁ କହିଲେ ।
“କ’ଣ ଚାଲି ଚାଲି ଯାଉଛି ବୋଲି ଡେରି ହେଉଛି?”
“ହଁ ।”
ମନୁ ମୁହୂର୍ତ୍ତେ ଶାନ୍ତ ରହି ପୁଣି ପଚାରିଲା, “ହାଟରେ ସେ ପହଞ୍ଚିଲାଣି ନା?”
“ନା, ଆଉ ଅଳ୍ପ ବାଟ ଅଛି ।”
କିଛି ସମୟ ପାଇଁ ନିସ୍ତବ୍ଧତା ଛାଇଗଲା ଘରସାରା । ବଡ଼ଭାଇ ଚଷମା କାଢ଼ି ପୋଛିଲେ । ଭଙ୍ଗା ଟର୍ଚ୍ଚକୁ ସଜାଡ଼ିଲେ । ଉତ୍କଣ୍ଠିତ ମନୁ ଚାହିଁ ରହିଥାଏ । ଗପ ଆରମ୍ଭ ହେଉନଥାଏ । ପୁନଶ୍ଚ ସେ ପ୍ରଶ୍ନକଲା, ‘ପହଞ୍ଚିଲା?’ ଭାଇ କେତେବେଳକେ ହୁଁ ମାରି କହିଲେ, “ହଁ ଏବେ ପହଞ୍ଚିଲା । ସେଠୁ ସେ ଲୋକଟି ଆଳୁ କିଣିଲା ଓ ପିଆଜ ଦର ମୂଲେଇଲା । ତା’ପରେ ଚା’ ପିଇଲା ଗୋଟିଏ ଜଳଖିଆ ଦୋକାନରେ ।”
ମନୁ ଚକା ପକେଇ ବସିଥିଲା । ସେତିକିବେଳେ ରେଶମ ସୂତା ଖୋଲିଗଲା ପରି ଗୋଡ଼କୁ ଲମ୍ବେଇ ଦେଲା । ପୁଣି ଚୁପ୍ ରହିଲେ ବଡ଼ଭାଇ । ଆଉ କିଛି କହିଲେ ନାହିଁ । ମନୁ ଉଦ୍ବେଗ ସହକାରେ ପଚାରିଲା, “ତା’ପରେ? କ’ଣ ହେଲା ବଡ଼’ପା?”
‘ଚା ପିଇ ସାରୁ । ସେ ପରା ଚା’ ପିଉଛି ।’
ଭାଇ ହସୁନଥାନ୍ତି । ଗୋଟିଏ ରହସ୍ୟପୂର୍ଣ୍ଣ ଗପ କହୁଥିବା ପରି ମୁହଁକୁ ଯଥାସମ୍ଭବ ଜ୍ଞାନଦୀପ୍ତ ଓ ଗମ୍ଭୀର କରି ରଖିଥାଆନ୍ତି । ମନୁ ପୁନଃ ଉଚ୍ଛ୍ୱସିତ କଣ୍ଠରେ ପଚାରିଲା, ‘ଚା’ ପିଇ ସାରିଲାନା?’
‘ନା ଆଉ ଅଳ୍ପ ଅଛି ।’ ବଡ଼ଭାଇ ଏତକ କହି ତାଙ୍କ କାମ କଲେ । ଟର୍ଚ୍ଚଟାକୁ ଜଳେଇ ଏଣିକି ତେଣିକି ମାରି ଠିକ୍ ଜଳୁଛିକି ନାହିଁ ପରୀକ୍ଷା କଲେ । ଗାମୁଛାକୁ ତିନି ସରି ଭାଙ୍ଗି କାନ୍ଧରେ ପକେଇଲେ । ମନୁ ଚିଡ଼ି ଉଠି ଗୁଣ୍ଗୁଣେଇଲା, “କେତେ ପିଉଛିକି?’ ତା’ର ଧୈର୍ଯ୍ୟଚ୍ୟୁତି ହେଉଥିଲେ ବି ଉତ୍କଣ୍ଠା ସରିନଥାଏ । ବଡ଼ବାପାଙ୍କ ମୁହଁକୁ ଏକ ଲୟରେ ଚାହିଁଥାଏ । ଗଳ୍ପର ଉପସଂହାରରେ କେଉଁ କୌତୂହଳତା ଗୋପନ ଅଛି ଜାଣିବା ସକାଶେ ତା’ର ପ୍ରବଳ ଆବେଗ ବଢୁଥାଏ । ହେଲେ ଗପଟି ଶୀଘ୍ର ସରୁନଥାଏ । ସେ ବିରାଟ ଏକ ହାଇ ମାରିଲା । ହାଇ ମାରି ପଚାରିଲା, “ବଡ଼’ପା ତା’ ପରେ କ’ଣ ହେଲା?’ ମନୁର କଣ୍ଠ ଜଡ଼େଇ ଆସୁଥାଏ । ତା’ର ସମଗ୍ର ଶରୀର ଆଉଜି ପଡ଼ିବାକୁ ରାହାଟିଏ ଖୋଜୁଥାଏ । ସେ ବଡ଼’ପାଙ୍କ କୋଡ଼ରେ ମୁଣ୍ଡରଖି ପଡ଼ିଗଲା । ପଡ଼ି ରହି ଧୀରେ ଧୀରେ ପଚାରିଲା, “ତା’ପରେ… ତା’ପରେ..?”
“ହଁ ସେ ଲୋକଟି ଚା’ ପିଇ ସାରିଲା । ତା’ପରେ ବାଇଗଣ ଅଧକିଲେ କିଣିଲା । ଟମାଟୋ ଦର ବୁଝିଲା । ଟମାଟର ଚଢ଼ାଦର ଶୁଣି ନବ କି ନାହିଁ ଚିନ୍ତା କଲା । ଚିନ୍ତା କରି କରି ଗୁଣ୍ଡିପାନ ଦୋକାନକୁ ଗଲା । ପାନଗୁଣ୍ଡି ବେଗ୍ରେ ପୂରେଇ ପଇସା ବାହାର କଲା ।”
ବଡ଼ଭାଇ ପୁନର୍ବାର ନୀରବ ରହିଗଲେ । ପାନଡାଲା ଖଟତଳୁ ଟାଣିଆଣି ପାନଖଣ୍ଡେ ଭାଙ୍ଗିଲେ । ପାନରେ ଚୂନ ଲଗେଇ ଖିଲିକାତିରେ ଫାଳି ଗୁଆକୁ ଚୂନେଇଲେ । ମନୁର ଆଖି ବୁଜି ହୋଇଯାଇଥାଏ । ସେ ଯଥାସମ୍ଭବ ଖୋଲିବାକୁ ଚେଷ୍ଟା କରୁଥାଏ । ଘଡ଼ିଏ ପରେ ତନ୍ଦ୍ରା ବିଜଡ଼ିତ ଗଳାରେ ସେ ପୁଣି ପଚାରିଲା, “ସେଇଠୁ ବଡ଼’ପା?”
“ରହ ଲୋକଟି ପରା ପଇସା ଗଣି କରି ଦେଉଛି । ଗଣି ସାରିଲେ ସିନା କହିବି ।” ପାନକୁ ଚାକୁଳେଇ ଚାକୁଳେଇ ଭାଇ କହିଲେ ।
ସମୟ ଗଡ଼ି ଯାଉଥାଏ । ରାତ୍ରୀର ନୀରବତା ପ୍ରସରି ଯାଉଥାଏ ପ୍ରତ୍ୟେକ କୋଣ ଅନୁକୋଣରେ । ନିଦ୍ରାଦେବୀ ଗହଳ କରି ଧରିଥାନ୍ତି ମନୁର ଚେତନା ପ୍ରବଣତାକୁ । ସେ ଆଉ ପାଟି ଫିଟେଇ ପାରିଲା ନାହିଁ । ଅବଚେତନ ହୋଇଯାଇଥାଏ ତା’ର ପିଲା ମନ । ସେ ସମ୍ପୂର୍ଣ୍ଣ ଶୋଇଯାଇଥାଏ । ଭାଇ ତାକୁ ଧୀରେ କୋଳକୁ ଉଠେଇ ଶୁଆଇ ଦେବାକୁ ନେଲେ । ଆନାସ୍ଥେସିଆ ଇଞ୍ଜେକ୍ସନ ନେଇ ଅଚେତ୍ ହୋଇ ପଡ଼ିଥିବା ରୋଗୀଟିଏ ପରି ସେ ବୁହାହୋଇ ଯାଉଥିବା ବେଳେ ଦି’ଥର ବିଳିବିଳେଇ ହେଲା, “ତା’ପରେ…ତା’ପରେ..?”
ସର୍ଦ୍ଦି ରୋଗୀଙ୍କ ପରି ତା’ ପାଟି ଶୁଭୁଥିଲା ଗଣଗଣିଆ ।
ମୁଁ ଗପଟିର ଆରମ୍ଭ ଓ ଶେଷକୁ ମନେ ମନେ ଖୋଜୁଥାଏ । କ୍ରୋଧ ସେତେବେଳକୁ ପ୍ରଶମିତ ହୋଇସାରିଥାଏ । ପିଲାଙ୍କୁ ଶୁଆଇ ପକାଇବାର ଏ ଅଭିନବ କୌଶଳକୁ ତାରିଫ୍ ନକରି ରହିପାରିଲି ନାହିଁ ।
ଭାଇ ମନୁକୁ ଶୁଆଇଦେଇ ଫେରୁଥାନ୍ତି । ତାଙ୍କ ଆଖି ସହ ଆଖି ମିଶିଗଲା । ସେ ତୃପ୍ତିରେ ହସ ରେଖାଏ ଖେଳାଇ ନିଷ୍କ୍ରାନ୍ତ ହେଲେ । ମୁଁ ମୁଣ୍ଡ ପୋତି ଆଣିଲି । ତାଙ୍କ ଆଖି ଯେମିତି କହି କହି ଯାଉଥାଏ, “ଆରେ ବୁଦ୍ଦୁ ପିଲାଙ୍କୁ ମାରଧର କରି ମଣିଷ କରାଯାଏନା । ବୁଦ୍ଧି, ବିବେକ, କୌଶଳ ବଳରେ ସେମାନଙ୍କୁ ଆୟତ୍ତ କରାଯାଏ- ସତ୍ ଶିକ୍ଷା ଦିଆଯାଏ ।”
ବଡ଼ଭାଇ ମୋର ପିତୃତୁଲ୍ୟ । ବାଲ୍ୟକାଳେ ବାପାଙ୍କୁ ହରାଇ ବାପାଟିଏ ପାଇଛି ତାଙ୍କରି ରୂପରେ । ଭାଉଜ ଇହଲୀଳା ସମ୍ବରଣ କଲେଣି ଅନେକ ଦିନରୁ । ସେ କହନ୍ତି, ତାଙ୍କ ବାହାଘର ବେଳକୁ ମୁଁ କାଳେ ଭଲକରି ପେଣ୍ଟପିନ୍ଧା ଶିଖି ନଥିଲି ।
ବଡ଼ ଭାଇଙ୍କ କୋଳରେ ମୁଁ ବଢ଼ିଛି । ମୋ ଶୈଶବ ତାଙ୍କରି ତତ୍ତ୍ୱାବଧାନରେ ପ୍ରତିପାଳିତ । ଆଜି ମୋରି ପୁଅ ମଧ୍ୟ ତାଙ୍କରି ସ୍ନେହାଶିଷ ତଳେ ପ୍ରତିପୋଷିତ ।
ତିଳୋତ୍ତମା ବାସନ ମାଜି ମୋତେ ଚାହିଁଲେ । ସେ ମଧ୍ୟ ଅଛିଣ୍ଡା କାହାଣୀଟିକୁ ଶୁଣୁଥିଲେ । ଏଣୁ ଦେଢ଼ଶ୍ୱଶୁରଙ୍କ ପ୍ରସ୍ଥାନ ଉତ୍ତାରେ ମୁଣ୍ଡରୁ ଓଢଣା ଟେକି ଚିପି ଚିପି ହସିଲେ ।
ପୂର୍ବ ଆକାଶରେ ତୋଫା ଜହ୍ନଟା ଘଡ଼ି ମାରି ଉଠୁଥିଲା । ଆଉ ସନ୍ଧ୍ୟା ବେଳରୁ ଅଝଟ ହେଉଥିବା ମନୁ ନିଘୋଡ଼ ନିଦରେ ଶୋଇଯାଇଥିଲା ।


