ନାରୀଟିଏ

ନାରୀଟିଏ ବୋଲିସିନା
କିଏ କେବେ ଭାଙ୍ଗିଦିଏ
କିଏ କେବେ ଯୋଡିଦିଏ
ମୋ ହୃଦର ଟୁକୁଡା ଖଣ୍ଡକୁ
ଆପଣା ଇଛାରେ,

ନିତି ମରେ ନିତି ଜିଏଁ
ସ୍ବପ୍ନ ଭାଙ୍ଗେ ସ୍ବପ୍ନ ହଜେ
ନିଦଭରା ଆଖିତଳ
ଅମାନିଆ ଯେତେସବୁ
ଲୁହର ଜୁଆରେ ॥

କିଏ ଏଠି ଆପଣାର
କିଏ ସ୍ବପ୍ନ ସୌଦାଗର
କାହାର ଇଙ୍ଗିତେ ସରେ
ସମୟର ସରହଦ
ଜୀବନ କାହାଣୀ,

କେବେବି ତିଆରିହୁଏ
ଇଛାମତେ ଭାଙ୍ଗିଯାଏ
ଟାଳଟୁଳ ହିଶାବର
ସବୁଜ ବନାନୀଭରା
ଶୃଙ୍ଖଳ ବିପଣୀ ॥

ମନହୁଏ ଶତଖଣ୍ଡ
ସମେଟିଯାଏ ଯୌବନ
ନିରୋଳା ରାତି ଅନ୍ଧାରେ
ସ୍ବେଛାଚାରୀ ଉତ୍ପିଡନ
ଉଦାସ ବିଭୋରେ,

ଏମିତି ନାରୀ ଜୀବନ
ଜଳୁଥାଏ, ମରୁଥାଏ
ବଂଚିବାକୁ ଲଢୁଥାଏ
ତ ଥାପି ଜୀବନଥାଏ
ଈଶ୍ବର ଇଛାରେ ॥