ମତେ ଏବେ ଖୁବ୍ ଭଲ ଲାଗୁଚି

ଖୁବ୍ ଭଲ ଲାଗୁଚି ଏବେ
ଜୀବନ ଜ୍ୟାମିତି
ନା ମୁଁ ଆଙ୍କୁଚି ଆଉ
ମନ ସିଲଟରେ
କେଉଁ ମିଛ ସ୍ମୃତିର ଚିତ୍ରପଟ୍ଟ
ବର୍ଗକ୍ଷେତ୍ର ,ତ୍ରିକୋଣ
ଅବା ବୃତ୍ତଚିତ୍ର ।

ମୁଁ ଆଙ୍କୁନି ଆଉ
ବିନ୍ଦୁରେ ବିନ୍ଦୁକୁ ଯୋଡି
ସରଳରେଖା ଅବା
ହିସାବ ନିକାଶ କରିବାର ଫର୍ଦ୍ଦ,
ଏବେ ଦରକାର ପଡୁନି
ଡିଗ୍ରୀ କୋଣର ସହଭାଗିତା ।

ଏବେତ ସବୁକୁ
ତୁଛ କରି ମୁଁ ଚାଲିଛି
ମୋ ହିଶାବର ରାସ୍ତାରେ
ମୋ ଜୀବନ ନନ୍ଦନବନର
ସୁରଭିତ ବାସ୍ନାର ସନ୍ଧାନରେ ।

ମୁଁ ପ୍ରତୀକ୍ଷା କରୁନିଆଉ
ଏବେ ସକାଳ ବା ସଂଧ୍ୟାକୁ
ଜହ୍ନ କି ଅନ୍ଧାରକୁ
ସୁଖ କି ଦୁଃଖକୁ
ସାହଚର୍ଯ୍ୟ ବା ନିଃସଙ୍ଗତାକୁ
ଫୁଲ କି ଫଗୁଣକୁ ।

ମୁଁ ଅନୁଭବ କରୁନି
ବୈଶାଖ କି ବର୍ଷା
ହେମନ୍ତ କି ଶୀତର ସ୍ପର୍ଶକୁ,
ମୋ ଭଳି ମୁଁ ଜୀଇଁବା ଶିଖିଚି
ମୋ ଇଛାର ଇଲାକାରେ
ନିର୍ଦ୍ବନ୍ଦରେ,ନିର୍ବିବାଦରେ ।

ମୋ ସ୍ବପ୍ନକୁ ମୁଁ ବିସ୍ତାରିତକରିଚି
ଉନ୍ମୁକ୍ତ କରିଚି ନିର୍ବିଘ୍ନରେ
ଏବେ ; ନିରାପଦ ଓ ନିଶ୍ଚିତ ହୋଇ
ଏକ ସରଳ ରେଖାରେ
ଜୀବନ ଜ୍ୟାମିତି ଆଙ୍କୁଚି,
ମତେ ତେଣୁ ଏବେ ଖୁବ୍ ଭଲ ଲାଗୁଚି
ସତରେ..ଖୁବ୍ ଭଲ ଲାଗୁଚି ।