ସୋନୀ ସେଦିନ ଗୋଟିଏ ସଭାରେ ଭେଟିଥଲା ଭଦ୍ରଲୋକଙ୍କୁ । ଆଗରୁ ତାଙ୍କ ନାମ ଶୁଣିଥିଲା, ବିଭିନ୍ନ ପତ୍ର ପତ୍ରିକାରୁ ଗପ କବିତା ମଧ୍ୟ ପଢିଥିଲା । ହେଲେ କେବେ ନିକଟରେ ଦେଖି ନଥିଲା । କଥା ବାର୍ତ୍ତାମଧ୍ୟରେ ସେ ତାଙ୍କର ପରିଚୟ ପାଇଲା । କବି ସମ୍ମିଳନୀରେ ସେ ବିଚାରକ ଥିଲେ । ସେଦିନ ସୋନୀର କବିତା ଶ୍ରେଷ୍ଠ ବିବେଚିତ ହେଲା ।
ସୋନୀ ଜଣେ ବରିଷ୍ଠ କବି ଓ ରାଜ୍ୟ ସରକାରଙ୍କ ଜଣେ କାର୍ଯ୍ୟରତ ପ୍ରଶାସକ ହିସାବରେ ତାଙ୍କୁ ନମସ୍କାର କଲା ଏବଂ ନିଜର ସଦ୍ୟ ପ୍ରକାଶିତ ଏକ ବହି ଉପହାର ଦେଲା । ଭଦ୍ରଲୋକ ଖୁସି ହୋଇଗଲେ , ସୋନୀକୁ ତା ସମ୍ପର୍କରେ ଓ ପରିବାର ବିଷୟରେ କିଛି ପଚାରିଲେ । ସୋନୀ କେବେ କୌଣଷି କଥାରେ ଛଳନାର ଆଶ୍ରୟ ନିଏନା । ଖୁବ୍ ସ୍ବାଭିମାନୀ ଓ ଆତ୍ମବିଶ୍ବାସି ମଧ୍ୟ । ନିଜ କର୍ମ ଓ କର୍ତ୍ତବ୍ୟ ଭିତରେ ନିଷ୍ଠାରଖି ସେ ସମାଜରେ ନିଜକୁ କିଛି ପରିମାଣରେ ଦମ୍ଭରେ ଠିଆ ହୋଇ ପାରିଛି ଏକା ଏକା ନାରୀଟିଏ ହୋଇ । ମିଛ କହିବା ତା ଜାତକରେ ନାହିଁ, ତେଣୁ ସେ କହିଲା; ସାର୍ ମୁଁ ଦୀର୍ଦ୍ଧ ବର୍ଷଧରି ମୋ ସ୍ବମୀଠାରୁ ଅଲଗା ରହୁଚି ମୋ ପିଲା ମାନେ ମୋ ନିକଟରେ ଏବଂ ଝିଅ ର ବାହାଘର ସରି ସେ ତା ଶାଶୁଘରେ । ପୁଅର ବାହାଘର ସରିଛି ଏବଂ ପୁଅ ବୋହୂ ମୋ ସହ ରହୁଛନ୍ତି । ଏବେ ଜୀବନରେ କିଛି ନିରୋଳା ସମୟକୁ ମୁଁ ସାହିତ୍ୟ ପାଇଁ ବିନିଯୋଗ କରୁଛି ।ଏଥିରେ ମତେ ଶାନ୍ତି ମିଳୁଛି ।
ଭଦ୍ରଲୋକ ଟିକେ ଉତ୍ ଫୁଲିତ ହେଲେ ଓ ଗୁଡାଏ ପ୍ରଶଂସା କରି କହିଲେ ମାଡମ୍, ଆପଣଙ୍କ ସ୍ପଷ୍ଟ ବାଦିତା ପାଇଁ ଖୁସି ଲାଗିଲା । ହେଲେ ପ୍ରକ୍ରୁତରେ ଆପଣ ପଅ, ଝିଅ ବାହାକଲେଣି ଆପଣଙ୍କୁ ଦେଖିଲେ ଲାଗୁନି । ଆପଣ ସାହିତ୍ୟ ପାଇଁ ଏକ ଉତ୍ସର୍ଗୀକ୍ରୁତ ମହିଳା । ଧନ୍ୟବାଦ ।
ତାପରେ ସୋନୀ ଘରକୁ ଚାଲିଆସିଲା । ପ୍ରାୟ ଅଧ ଘଣ୍ଟାଏ ପରେ ଫୋନ୍ କଲଟିଏ ଆସିଲା । ଅଜଣା ନମ୍ବରଟିଏ । କେହି ଲେଖ କ ବନ୍ଧୁ ହୋଇଥିବେ ଭାବି ସୋନୀ ଫୋନ ଧରିଲା । ସେପଟରୁ ଅଜଣା ସ୍ବର । ଭଦ୍ରବ୍ୟକ୍ତି ଜଣକ ସେଇ ମହାଶୟ । ତାଙ୍କର ଅଭିଯୋଗ ସୋନୀ ତାଙ୍କୁ ଦେଖାକରି ଆସିଲାନାହିଁ ~ ସେ ଅପେକ୍ଷା କରିଥିଲେ । ସୋନୀ କହିଲା, କ୍ଷମା କରିବେ ସାର୍ ମୁଁ ଆପଣଙ୍କୁ କହି ଆସିବା ମନରେ ଆସିନି । ସେ କହିଲେ ମୁଁ କାଲି ଆପଣଙ୍କ ଘରକୁ ଯିବି । ଆପଣଙ୍କ ସାହିତ୍ୟ ସମଗ୍ର ବିଷୟରେ ଜାଣିବା ମୋର ଇଛା । ସୋନୀ ଆଶ୍ଚର୍ଯ୍ୟ ହେଲା! ସାର୍ ମୋ ପରି ଏଇ ଗରିବ କୂଟୀରକୁ ଆପଣ କାହିଁକି ଆସିବେ? ଆପଣ ଜଣେ ଉଚପଦସ୍ଥ ଅଫିସର, ବରିଷ୍ଠ ଲେଖ କ । ମୋ ଭଳି ଜଣେ ସାଧାରଣ କବି ଘରକୁ ଆସିଲେ ଆପଣଙ୍କ ସମ୍ମାନରେ ଆଂଚ ଆସିବ । କବିର ଘରକୁ କବିଟିଏ ଯିବ । ଏଠି ସାନ ବଡ କଣ? ହଉ, ଠିକ୍ ଅଛି: ମୁଁ ବଡ ଗାଡି ନେବିନି ଦୁଇ ଚକିଆ ଯାନରେ ଯାଇ ପଂହଚିବି । ସୋନୀ ଆଉକିଛି କହି ପାରିଲାନି, ଘରେ ପୁଅ ଓ ବୋହୂ କୁ କହିଦେଲା ସଂଧ୍ୟାରେ ସେ ଭଦ୍ରଲୋକ ଆସିବେ । ତାଙ୍କର ପରିଚୟ ମଧ୍ୟ ପିଲାଙ୍କୁ କହିଦେଲା ।
ଠିକ୍ ସଂଧ୍ୟା ୭ ଟାରେ ନିଜ ଦୁଇଚକିଆ ଗାଡିରେ ଆସି ପହଂଚିଲେ ଭଦ୍ରଲୋକ । ପୁଅ ବୋହୂ ନମସ୍କାର କରିଲା ପରେ ବୋହୂକୁ ଚା’ ବିସ୍କୁଟ୍ ଆଣିବାକୁ କହିଲା ସୋନୀ । ଭଦ୍ରଲୋକ କହିଲେ କିଛି ଦରକାର ନାହିଁ, କେବଳ କପେ ଚା’ ଆଣନ୍ତୁ । ବୋହୂ ଚା ଦେଲା ପରେ ସେ କିଛି ସମୟ ସୋନୀ ସହ ଲେଖାଲେଖି ଓ କେତେ ବହି ପ୍ରଭ୍ରୁତି ହୋଇଚି ପଚାରିଲେ । ନିଜେ ଜଣେ ବଡ ସାହିତ୍ୟିକ ଓ ଅନେକ ପତ୍ରିକା ସମ୍ପାଦକ ତାଙ୍କ ଦୟାରୁ ନିଜନିଜ ପତ୍ରିକା ଚଲାଇ ରଖିଛନ୍ତି, କାରଣ ତାଙ୍କୁ ସବି ବିଞାପନ ୟାଙ୍କ ଯୋଗେମିଳେ । ହଁ ହେଇଥିବ ! ଯେହେତୁ ଜଣେ ପ୍ରଶାସନିକ ଅଧିକାରୀ, ଯାହାକୁ ସୁପାରିସ କରୁଥିବେ ସେ ନିଶ୍ଚୟ ଦେଉଥିବ । ସେ ଆସିଲା ବେଳୁ କିନ୍ତୁ ସୋନୀ ଲକ୍ଷ୍ୟ କରୁଥିଲା ପୂର୍ବଦିନ ଘରକୁ ଆସିବାକୁ ଭଦ୍ରଲୋକ ଯେତିକି ଆଗ୍ରହିଥିଲେ ଘରକୁ ଆସିଲା ପରେ ସେତେ ଖୁସି ଜଣା ପଡୁନାହାନ୍ତି । ସୋନୀ କିଛି ଅନୁମାନ କଲା କିଛି କରିପାରିଲା ନାହିଁ । ଯାହା ହେଉ କିଛି ସମୟପରେ ସେ ଯିବାକୁ ବାହାରିଲେ । ସୋନୀ ନିଜର ପ୍ରକାଶିତ କିଛି ବହି ଉପହାର ଦେଲା । ସେ କିଛି ବହି ନେଲେନାହିଁ ଏବଂ କହିଲେ ମୁଁ ଏଇ ପ୍ରଥମ ଆସିଲି, ଆପଣଙ୍କ ଘରକୁ ମଧ୍ୟ ଖାଲି ହାତରେ ଆସିଛି, ତେଣୁ ଆଉଥରେ ଆସିଲେ ବହିସବୁ ନେବି । ଆପଣ ମନଦୁଃଖ କରନ୍ତୁ ନାହିଁ । ସୋନୀ ବାଧ୍ୟ କରିପାରିଲା ନାହିଁ, ସେ ବିଦାୟ ନେଇ ଚାଲିଗଲେ ।
ତା’ ପରେ ଥରେ ସୋନୀ ଫୋନ୍ କରିଥିଲା’ ପ୍ରଥମେ ଫୋନ ଧରିଲେ ନାହିଁ । ପରେ ଥରେ ଫୋନ୍ ଧରି କହିଲେ ମାଡାମ ମୁଁ ବ୍ୟସ୍ତଅଛି ~ ଆପଣଙ୍କୁ ପରେ ଫୋନ୍ କରୁଚି । ସୋନୀ ଚୁପ୍ ରହିଲା ।
ଏଇପରି କିଛିଦିନ ଚାଲିଗଲା, ସୋନୀ ସେ କଥା ମଧ୍ୟ ଧିରେ ଧିରେ ଭୁଲିଗଲା । ଦିନେ କୌଣଷି ଏକ ସଭାରେ ସେ ଭଦ୍ରଲୋକଙ୍କୁ ଦେଖିଲା ସୋନୀ । ନିକଟରେ ଥିବା ଜଣେ ବନ୍ଧୁଙ୍କୁ ଏଇ କଥା କହିଲା । ଭଦ୍ରଲୋକ ଗୋଟିଏଥର ଦେଖାରେ ହଠାତ୍ ଘରକୁ ଆସିଲେ ଏବଂ ଘରକୁ ଆସି ଗଲାପରେ ଏମିତି ଦୂରତ୍ବ ରଖିଲେ କାହିଁକି? ବନ୍ଧୁ ସବୁକଥା ଶୁଣି କହିଲେ ତମେ ତାଙ୍କୁ ଜାଣିନ କି? ସେ ପରା ପ୍ରଥମେ କେଉଁ ଝିଅ କି ମହିଳାଙ୍କୁ ଦେଖିଲେ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି । ଯଦି ସେ ଏକା ରହୁଥାଏ ତେବେ ତା ସହ ମଧୁର କଥା କହି ଅତି ନିଜରଭାବ ଦେଖାଇ ନିକଟତର ହୁଏ । ପରେ ତାକୁ କିଛି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ନିଜରପରି ହୋଇ ଭୁଲ୍ ସଂମ୍ପର୍କ ରଖେ । ପରେ ସେଇ ସଂମ୍ପର୍କ କୁ ନେଇ ତାକୁ ବ୍ଲାକ୍ ମେଲ୍ କରେ । ଅନେକ ମହିଳାଙ୍କୁ ସେ ନଷ୍ଟ କରିଚି । ସୋନୀ ସ୍ତବ୍ଧ ହୋଇ ସବୁ ଶୁଣୁଥିଲା । ଏବଂ ଭାବୁଥିଲା ପ୍ରଥମେ ଭଦ୍ରଲୋକ କାହିଁକି ତା ଘରକୁ ଯିବାକୁ ବ୍ୟଗ୍ର ହୋଇ ଉଠିଲେ, ଆଉ ଥରେ ଯାଇ ଘର ପରିବେଶ ଦେଖିଲା ପରେ କାହିଁକି ଆଭାଏଡ୍ କଲେ । ଧନ୍ୟରେ ଭଦ୍ରଲୋକ । ତୁମ ଉପରେ କେତେ ଭଦ୍ର, ତୁମ ଭିତରେ କେତେ ରନ୍ଦ୍ର ।


