ଭଲଲାଗେ ମତେ

ଭାରି ଭଲ ଲାଗେ ମାଆର ଗାଳି
କଥାରେ ଅଛି
ମା’ର ଗାଳି ଦାଣ୍ଡର ଧୂଳୀ ।

ଭାରି ଭଲ ଲାଗେ
ଦରୋଟି ଓଠର କଅଁଳ ହସ
ଫୁଲ ବଗିଚାରେ ସକାଳୁ ସକାଳୁ
ହେନା ଗୋଲାପର ବାସ ।

ଭାରି ଭଲ ଲାଗେ
କ୍ରୁଷ୍ଣଚୂଡାର ରଙ୍ଗ
ପଣା ସଂକ୍ରାନ୍ତିରେ ଭାଙ୍ଗ
ଶୀତ ସକାଳର ସୁନେଲୀଖରା
ପାର୍ବଣବେଳେ ନଈ ପଠାଧାରେ
କାଶତଣ୍ଡୀର ସାଙ୍ଗ ।

ଭାରି ଭଲ ଲାଗେ କୁରେଇ ଫୁଲର ହସ
ରାଧା ତମାଳର ବାସ
ବାସର ରାତିରେ ପ୍ରୀତିର ମହକ
ରାଧା କ୍ରୁଷ୍ଣଙ୍କର ରାସ ।

ଭଲ ଲାଗେ ଯେବେ ବର୍ଷାରେ ଭିଜେ ସାଧବ ବୋହୂର ଦେହ
ପାଚିଲା କେଶରେ ଆଈ ମା ସାଥୀରେ ଲୁଟୁପୁଟୁ ହେବାମୋହ
ଭାରି ଭଲ ଲାଗେ ଖରା ପରେବର୍ଷା
ପୁନେଇଁ ପରବ ସୁଅ ।

ଖରାହେଲେ ତ ବର୍ଷା ଆସିବ
ଈଶ୍ବର ଙ୍କର ଏ ଲୀଳା
ସୁଖ ଦୁଃଖ ସବୁ ଆସିବ ଯିବ
ଶୀତ ବସନ୍ତ ହେମନ୍ତ ଆସିବେ
ସମୟର କରି ଖେଳା
ଏଇତ ଅଟେ ଦୁନିଆ
ସତରେ ଚାଲିଲେ ବାଟମିଳିଯିବ
ବୁଡିବନି ଜମାଭେଳା ।