ବର୍ଷା ଯେବେ ଆସେ ଝରିଝରି
ପାଦରେ ତା ଘୁଙ୍ଗୁର ବାନ୍ଧି,
ରୁମ୍ ଝୁମ୍ ରାଗିଣୀର ତାଳେ
ଶୀତଳତା ଆଣେ ପୁଣି
ଘାସରେ ପତ୍ର ରେ
ଆମ ଗାଁ ନୁଆଁଣିଆ ଚାଳରେ
ରୋମାଚିଂତ ହୁଏ କଦମ୍ବ
ଅଭିସାର ରଚେ ମୟୁର ।
ମୋ ମନ ଇଲାକାରେ
ମନେ ପଡେ ପିଲାଦିନ କଥା
ଭାଇ ସଙ୍ଗେ ଖାତା ଚିରି
ଭସାଉ ଥିଲି ମୁଁ ଡଙ୍ଗା,
ପହଁଚି ଲବଙ୍ଗ ଦୀପେ
ବୋହି ଆଣିବେ ଆମପାଇଁ
ସେ କାଗଜର ଅଜଣାଗାଥା ।
ଭାସିଭାସି ଯାଉଥିଲା
ଢଳଢଳ ପାଣିର ସୁଅରେ
ଆଉ ସେ ଫୁଲି ଉଠୁଥିଲା ଗର୍ବରେ
ଯେପରି ଫୁଲିଉଠେ ନଦୀ
ବର୍ଷା ପରେପରେ ।
ଆଜିବି ଆକାଶ ଆଖିରେ
ଲୁହ ଆସିଲେ
ମନେପଡେ ସେଇ
ପିଲାଦିନ କଥା
ଆଜି ନାହିଁ ଆଉ ବର୍ଷାର
ସେ ଦିନର ମିଠା ମାଦକତା ,
ନାହିଁ ସେ ଗାଁ ଦାଣ୍ଡରେ ପାଣି
ଆଉ ଫୁଟିଫୁାଟି ଯାଉଥିବା ଫୋଟକା ।
କେବେଠୁ ହଜିଲାଣି ଠିକଣା
ଧୋଇଗଲାଣି ପୁରୁଣା ଖାତାରେ
ଲେଖା ବର୍ଣ୍ଣମାଳା ।


