Optional credit line

ଦୁଃଖର ସାଏରୀ

କାହାକୁ ବାଣ୍ଟିବି ଦୁଃଖ
ନଦୀକୁ ନା ନାରୀକୁ
କଇଁକୁ ନା ଜହ୍ନକୁ
ପକ୍ଷୀକୁ ନା ପବନକୁ
ଆପଣାକୁ ନା ଆକାଶକୁ !
ଯାହାକୁ ଚାହିଁଲେ ତ
ମହଣ ମହଣ ଦୁଃଖର ଭାରରେ
ସମସ୍ତେ ଆକ୍ତାମାକ୍ତା,
ସୁଖର ସପ ଖଣ୍ଡେ
ସାଉଁଟିବାକୁ ଗଲେ
ଦୁଃଖର କତରାରେ
ପାହିଯାଏ ରାତି,
ବିଶ୍ୱାସର ସ୍ନେହ ଟିକେ
ମାଗିବାକୁ ଗଲେ
ପ୍ରତାରଣାର ଖଣ୍ଡାଧାରରେ
ସରିଯାଏ ପ୍ରୀତି,

କାହାକୁ ଆଉ ବାହୁନିବି
ଦୁଃଖର ଚିତ୍ରପଟ
ସୁଖର ଝଟକ,
ମନର ମହମହ କୁହୁକ
ଏଠାରେ ତ ସମସ୍ତେ ଭଦ୍ରଲୋକ
କିଏ ଆଉ ଶୁଣିବ କାନ ପାରି
ରାତି ନା ସକାଳ,
ଫୁଲ ନା ଭ୍ରମର
ଗତି ନା ପ୍ରଗତି
ଶାନ୍ତି ନା ପ୍ରଣତି,
କାହା ବେକରେ ପକାଇବି
ଶେଷରେ ମନ୍ତ୍ର ଉତରୀ
କାହାର ବା ଅଛି ଆଉ ଭେକ ?
ଦୁଃଖ ଅଛି ବୋଲି ତ
ସ୍ୱପ୍ନ ଲୁଚକାଳୀ ଖେଳୁଛି,
ଦୁଃଖ ଅଛି ବୋଲି ତ

ସକାଳର ଅନୁଭବ ଅଛି,
ଦୁଃଖ ଅଛି ବୋଲି ତ
ବେଳେବେଳେ ନବବଧୂ ପରି
ସକେଇ ହୋଇ ଆସୁଛି ସୁଖ,
ସୁଖ ଆଉ ସ୍ୱପ୍ନ ଅଛି ବୋଲି ତ
ଜୀବନ ସଙ୍ଗୀତର ଝଙ୍କାର ଶୁଭୁଛି
ବେଳେ ବେଳେ,
ଦୁଃଖ ଛାଇରେ ନିଦ ଗଲେ ତ
ସୁଖର କୋଳ ମିଳୁଛି କେବେ କେବେ
ଦୁଃଖର ବାଟ ସଫା କଲେ ତ
ସୁଖ ଆସିବାର ପଥ ନିଷ୍କଣ୍ଟକ ହୋଇଛି ।
ସ୍ୱପ୍ନ, ମାୟାଜାଲରେ ଥିରିଥିରି ମାୟା ଦେଖାଇ
ସକାଳର କୁହୁଡ଼ି ପରି
ଅପସରି ଯାଉଛି
ଦୁଃଖର ପାଟପତନୀ !