ମୁଁ ନାରୀ

“ଅ” “ଉ” “ମ”
ମ ରୁ ମାଟି

ମାଟି ରୁ ଉଠି
ଅ ରେ ଆକାର ନିଏ
ଯିଏ ଝପଟି,
ସେଇଟି ଆମର ଅତି ଆପଣାର
ମା ‘ଟି ।

ସେ ହିଁ ଆଦ୍ୟା
ନାରୀ
ଆପ୍ରାଣ ଜଡିତା ,
ଓଁ କାର ନାଦ ସାକାର କରି,
ଯିଏ ତୂଳୀରେ ରଙ୍ଗ ଦିଏ ବୋଳି
ସ୍ନେହ ଓ ମମତା ।

ଶ୍ରେଷ୍ଠ ଚିତ୍ରଶିଳ୍ପୀ ସାତରଙ୍ଗ ଧରି
ଇନ୍ଦ୍ରଧନୁ ଟିଏ
ଜୀବନେ ଆଙ୍କଇ,
ନାରୀ ମମତାମୟୀ,
ପ୍ରୀତିର ଫଗୁଣ ବର୍ଣ୍ଣ ସମ
ସେନେହ ପ୍ରେମରେ
ସେ ଦିଏ ଭିଜାଇ ।

ନାରୀ ହିଁ ପରମା ନିର୍ଲିପ୍ତା ଲତା
ସଂସାର ତରୁରେ ଏମିତି ଜଡ଼ଇ
ମନର ମନ୍ଦିରରେ ଆହା
ପ୍ରତିମା ମୃଣ୍ମୟୀ ।

ଶ୍ରେଷ୍ଠ ଚିତ୍ରକଳା ନିପୁଣା ନାରୀ
କେଉଁ ଯେ ଛବି
ସେ ଆଙ୍କି ନ ପାରଇ ?
ଚୁଲିଶାଳ ହେଉ, ପୂଜାର୍ଚ୍ଚନା ହେଉ
ସବୁଠି ହାତ ତା’ ଦେଉଥାଏ ଛୁଇଁ

ଶରୀରକୁ କରି କାନଭାସ୍ ଟିଏ
ଅଙ୍କୁରିତ କରେ ସର୍ଜନା ସେହି
ତୋଳି ଧରିଥାଏ ସତେ
ସରଣୀରେ କଇଁ !!

ଜନନୀ, ଜାୟା, କନ୍ୟା, ଭଗିନୀ
ସଙ୍ଗିନୀ ରାଗିଣୀ ପ୍ରେମିକା ପୁଣି
ସବୁଠି ସ୍ପର୍ଶ ତାର ସୁନେଲୀ ତୂଳୀ
ମା ରୁ ମାଟି
ଆ ରୁ ଆକାଶ
ଏନ୍ତୁଡି ରେ ଆଦ୍ୟା
ଜୁଇରେ ସମାପ୍ତ ଯା’ର
ସଂଜ୍ଞା ଅଶେଷ,
ସେ ଚିନ୍ମୟୀ ।

ନାରୀ ଜଗନ୍ମୟୀ, ମନୋମୟୀ
ନାରୀ ନିର୍ଝରିଣୀ
ମାନିନୀ, ସ୍ରୋତସ୍ୱିନୀ
ଜୀବନ ଜଳରେ
ପ୍ରାଣ ଆହ୍ଲାଦିନୀ ।