କାକପୋଇ

କାହିଁକି ରାବୁଚୁ ଆରେ କାକପୋଇ
ଆହାର ଖାଇବୁ ତୁହି
ଦୂର ବିଦେଶରୁ ଖବର ମୋ ପାଶେ
ଭାଇ ଛନ୍ତି କି ପଠାଇ ?

ଉଡିଯା ଉଡିଯା ଆରେ କାକପୋଇ
ଚାଉଳ ଦେଉଚି ଥୋଇ
କହିବୁ ଭାଇଙ୍କୁ ଆସିବେ ଚଂଚଳ
ଉଛୁର କରିବେ ନାହିଁ ।

ତାଙ୍କ ଲଗାଗଛେ ଫଳିଛି ପିଜୁଳି
ତୋଳି ଆସିନାହିଁ ମତେ
କୁସୁମ ଗଛରେ ଫୁଲ ଫୁଟିଲାଣି
କଢ ବି ଯାହାକୁ ଯେତେ ।

ତାଙ୍କ ଧଳାପୁଷି ଖାଉନାହିଁ ଭାତ
ଋଷୁଅଛି ଦିନରାତି
ପଂଜୁରୀରେ ଥାଇ ବଣି ଚଢେଇଟି
ଖୋଜୁଅଛି ତାର ସାଥୀ ।

ତାଙ୍କ ସୂତାକଟା ଅରଟ ପଡିଚି
କାଟି ଆସୁନାହିଁ ମତେ
କହିଥିଲେ ଭାଇ ଶିଖାଇବେ ବୋଲି
ଏଥର ଆସିଲେ ଯେତେ ।

ଭାଇତ ନାହାନ୍ତି କିଏ ଶିଖାଇବ
କାଟିବି କିପରି ସୂତା
ଭାଇତ ନାହାନ୍ତି ପାଠକି ପଢିବି
ମନଟା ଲାଗୁଚି ପିତା ।

ମନେ ପଡୁନିକି ତାଙ୍କ ସାନଭାଇ
କାନ୍ଦୁରା ଘନିଆ କଥା
ମନେ ପଡୁନିକି ବୋଉ ପାଳିଜ୍ବର
ନନାଙ୍କ ମୁଣ୍ଡ ବ୍ୟଥା ।

ଚାରିଦିନ ହେଲା ନନାଙ୍କୁ ଜ୍ବରରେ
ଔଷଧ ଦେଉଚି କିଏ
ଭାଇ ସିନାଥିଲେ ଓଷଦ ଆଣନ୍ତେ
ବଇଦ ଡାକନ୍ତି ସିଏ ।

ମୋ ମନର କଥା କା ‘ଆଗେ କହିବି
ଶୁଣୁଥାରେ କାକପୋଇ
ଆହାର ଖାଇଣ ଭାଇଙ୍କ ପାଖରେ
ବାରତା ଦେବୁ ତୁ ଯାଇ ।